ସୁସ୍ଥ ଆରମ୍ଭ : ଆଶାପୂର୍ଣ୍ଣ ଭବିଷ୍ୟତ
ଡା. ଶୁଭଶ୍ରୀ ମିଶ୍ର : ମହିଳାଙ୍କ କ୍ଷେତ୍ରରେ ମହିଳା ସ୍ୱାସ୍ଥ୍ୟ ବିଶେଷକରି ନିରାପଦ ମାତୃତ୍ୱ ସମ୍ବନ୍ଧୀୟ ସଚେତନତା ନିମିତ୍ତ ପ୍ରତିବର୍ଷ ଅପ୍ରେଲ ୧୧ ତାରିଖରେ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଥାଏ । ପ୍ରତି ବର୍ଷ ପରି ଚଳିତ ବର୍ଷର ବାର୍ତ୍ତା ରହିଛି "ହେଲଦି ବିଗ୍ନିଙ୍ଗ, ହୋପ୍ଫୁଲ ଫୁ୍ୟଚର୍ସ'(ସୁସ୍ଥ ଆରମ୍ଭ : ଆଶାପୂର୍ଣ୍ଣ ଭବିଷ୍ୟତ) । ଆଜି ଜାତୀୟ ନିରାପଦ ମାତୃତ୍ୱ ଦିବସ । ସୁରକ୍ଷିତ ଗର୍ଭଧାରଣ, ପ୍ରସବକାଳୀନ ନିରାପତ୍ତା, ଶିଶୁ ଜନ୍ମ ପରେ ମାଆର ସ୍ୱାସ୍ଥ୍ୟ ବାବଦରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ସମଗ୍ର ବିଶ୍ୱରେ ଏ ଦିବସଟି ପାଳିତ ହେଉଥିବାବେଳେ ଭାରତ ସରକାର ଏପ୍ରିଲ ୧୧ ତାରିଖ କସ୍ତୁରବା ଗାନ୍ଧୀଙ୍କ ଜନ୍ମଦିନ ଏହାକୁ ମାତୃତ୍ୱ ଦିବସ ଭାବେ ପାଳନ କରିବା ଲାଗି ୨୦୦୩ରେ ନିଷ୍ପତ୍ତି ନେଇଥିଲେ । ଏହି ଦିବସ ପାଳନରେ ଭାରତ ବିଶ୍ୱରେ ପ୍ରଥମ ରାଷ୍ଟ୍ର ନିରାପଦ ମାତୃତ୍ୱ କହିଲେ ଉଭୟ ମାଆ ଓ ଶିଶୁର ସୁରକ୍ଷାକୁ ବୁଝାଏ । ଗର୍ଭଧାରଣ ଓ ପ୍ରସବ ବାବଦରେ ଉପଯୁକ୍ତ ଜ୍ଞାନ ହାସଲ ଏବଂ ଠିକ୍ ପଦକ୍ଷେପ ଦ୍ୱାରା ନିରାପଦ ମାତୃତ୍ୱ ଲାଭ ସମ୍ଭବ । ଏହାଦ୍ୱାରା ମାଆ ଓ ଶିଶୁ ମୃତୁ୍ୟହାର କମିବ । ସୁଷମ ଓ ପୁଷ୍ଟିକର ଆହାର ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ପ୍ରତିଷେଧକ ଟିକା ଗ୍ରହଣ, ପ୍ରସବ ସମୟରେ ତାଲିମପ୍ରାପ୍ତ ଧାତ୍ରୀଙ୍କ ସାହାଯ୍ୟ ନେବା ଉଚିତ । ଏହାଦ୍ୱାରା ମାଆ-ଶିଶୁଙ୍କ ଜୀବନ ସୁରକ୍ଷିତ ରହିବ । ଆଜିକା ସମୟରେ ମହିଳାମାନେ ନିଜ କର୍ମ ସଂସ୍ଥାନର ଦାୟିତ୍ୱ କୁହନ୍ତୁ ବା ଘର ସଂସାରର ବୋଝ, ସବୁଠି ନିଜକୁ ନିଜେ ହିଁ ଅବହେଳିତ କରୁଛନ୍ତି । ଯାହାପାଇଁ ଦିନକୁ ଦିନ ଉଦ୍ବେଗଜନକ ଭାବେ ମହିଳାଙ୍କର ଶାରୀରିକ ଅସୁସ୍ଥତା ଦେଖାଯାଉଛି । ନିରାପଦ ମାତୃତ୍ୱ କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ହେଉଛି ଅସଚେତନତା, ଦାରିଦ୍ର୍ୟ, କୁପୋଷଣ ଓ ଅଶିକ୍ଷା । ଖୁବ୍ କମ ବୟସ ବେଳୁ ବିବାହ କରିବା ସମସ୍ୟା ଭାରତର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ଅଳ୍ପ ବୟସରୁ ବିବାହ କରି ସଂସାରକୁ ନ ବୁଝିଥିବା ଝିଅଟି ଖୁବ୍ ଶୀଘ୍ର ଗର୍ଭଧାରଣ କରିବା ଦ୍ୱାରା ଏହା ଉଭୟ ମାଆ ଓ ଶିଶୁ ଉପରେ ଭୟଙ୍କର ପ୍ରଭାବ ପକାଇଥାଏ । ଅନେକ କ୍ଷେତ୍ରରେ ମାତୃ ମୃତୁ୍ୟହାରର ଏହା ବଡ଼ କାରଣ ପାଲଟିଥାଏ । କେବଳ ମାତୃ ମୃତୁ୍ୟହାର ନୁହେଁ କେତେକ କ୍ଷେତ୍ରରେ ପିଲାଟି ଜନ୍ମ ହେବାପୂର୍ବରୁ ବା ଜନ୍ମ ହେବାର କିଛି ଦିନ ପରେ ମୃତୁ୍ୟବରଣ କରିଥାଏ । ଅନେକ କ୍ଷେତ୍ରରେ ଦୁର୍ବଳିଆ ଶିଶୁ ଜନ୍ମ ନେଇ ସାରା ଜୀବନ ବିଭିନ୍ନ ରୁଗ୍ଣ ସମସ୍ୟାକୁ ସାମ୍ନା କରିଥାଏ । ସେହିପରି ନିରାପଦ ମାତୃତ୍ୱ କ୍ଷେତ୍ରରେ କୁପୋଷଣ ଅନ୍ୟ ଏକ ସମସ୍ୟା । ସନ୍ତାନଟି ଗର୍ଭସ୍ଥ ହେବାପରେ ସଠିକ୍ ଭାବେ ଖାଦ୍ୟ, ବିଶ୍ରାମ, ଡାକ୍ତରୀ ପରାମର୍ଶ ଓ ନିର୍ଦ୍ଦିଷ୍ଟ ଔଷଧ ଓ ଟିକା ଗ୍ରହଣ ଜରୁରୀ । ଗର୍ଭବତୀ ମାଆଟି ପାଇଁ ତା ଶରୀର ଓ କାର୍ଯ୍ୟ ତୁଳନାରେ ପୌଷ୍ଟିକ ଓ ସୁଷମ ଖାଦ୍ୟ ତା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିପରି ଅନେକ ସମୟରେ ଡାକ୍ତରୀ ଚିକିତ୍ସା ବା ପରାମର୍ଶ ଅପେକ୍ଷା ଘର ବଇଦ ଚିକିତ୍ସାକୁ ଆପଣାଇ ଅନେକ କ୍ଷେତ୍ରରେ ଗର୍ଭବତୀମାନେ ଗୁରୁତର ହୋଇପଡ଼ିଥାନ୍ତି । ସିଜରିଆନ ଡେଲିଭରି ଦ୍ୱାରା ଗର୍ଭସ୍ଥ ଶିଶୁଟି ପରବର୍ତ୍ତୀ ସମୟରେ ଅନେକ ସ୍ୱାସ୍ଥ୍ୟଜନିତ ବିପଦକୁ ସମ୍ମୁଖୀନ ହୋଇପାରେ । ଏହାସହ ପ୍ରସୂତୀକୁ ସିଜରିଆନ ପୂର୍ବରୁ ଆନାସ୍ଥେସିଆ ଦିଆଯାଉଥିବାରୁ ଏହା ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି । ଏପରିକି ଏହି ଅସ୍ତ୍ରୋପଚାର ସମୟରେ ଅଧିକ ରକ୍ତସ୍ରାବର ସମ୍ଭାବନା ବି ରହୁଛି । ବିଳମ୍ବିତ ମାତୃତ୍ୱ ପାଇଁ ସିଜରିଆନ ପ୍ରସବ ସଂଖ୍ୟା ବଢ଼ୁଛି । ତେବେ କିଛି ମହିଳା ପ୍ରସବ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଏହି ସିଜରିଆନ ପ୍ରସବ ବ୍ୟବସ୍ଥାକୁ ଗ୍ରହଣ କରିଥାନ୍ତି । ତେବେ ଅଧିକ ଦିନ ଧରି ଗର୍ଭ ଯନ୍ତ୍ରଣା ରହିଲେ କିମ୍ବା ଭ୍ରୂଣଟି ଅସ୍ୱାଭାବିକ ପରିସ୍ଥିତିରେ ଥିଲେ ଏ କ୍ଷେତ୍ରରେ ସିଜରିଆନ ଡେଲିଭରିକୁ ଗୁରୁତ୍ୱ ଦିଆଯାଇଥାଏ ।
ତେବେ ଚିକିତ୍ସା ବିଜ୍ଞାନରେ ଆଜି ନିରାପଦ ଓ ସୁରକ୍ଷିତ ମାତୃତ୍ୱ ଭାବେ ସିଜରିଆନ ଡେଲିଭରିକୁ ଗୁରୁତ୍ୱ ଦିଆଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ମୁତାବକ କୌଣସି ଦେଶରେ ଅସ୍ତ୍ରୋପଚାର ଜନିତ ପ୍ରସବ ୧୦ରୁ ୧୫ ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ ଅର୍ଥାତ୍ ପ୍ରତି ୧୦୦ ଜଣ ମହିଳାରେ ୧୦ରୁ ୧୫ଜଣଙ୍କର ଅସ୍ତ୍ରୋପଚାର ଦ୍ୱାରା ପ୍ରସବ କରାଯିବା ଗ୍ରହଣୀୟ । ଯଦିଓ ବିଶ୍ୱ ସ୍ତରରେ ଏହି ଅସ୍ତ୍ରୋପଚାର ଜନିତ ପ୍ରସବ ହାର ବଢ଼ିଛି । ୧୯୯୦ ମସିହା ବେଳକୁ ଏହି ହାର ୭% ଥିବାବେଳେ ଆଜି ଏହା ୨୧%କୁ ବୃଦ୍ଧି ପାଇଛି । ଏହିପରି ବୃଦ୍ଧି ପାଇଲେ ୨୦୩୦ ମସିହା ବେଳକୁ ଏହା ୨୯%ରେ ପହଞ୍ଚôବାର ସମ୍ଭାବନା ରହିଛି । ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ ଅନୁଯାୟୀ, ସିଜରିଆନ୍ ପ୍ରସବ ହାର ବଢ଼ିବାରେ ଲାଗିଛି । ୨୦୦୫-୦୬ରେ ଏହା ୮.୫ ପ୍ରତିଶତ, ୨୦୧୫-୧୬ରେ ୧୭.୨ ପ୍ରତିଶତ ଏବଂ ୨୦୧୯-୨୧ରେ ଏହା ୨୧.୫ ପ୍ରତିଶତକୁ ବୃଦ୍ଧି ପାଇଛି । ଭାରତୀୟ ରାଜ୍ୟ ଗୁଡ଼ିକ ମଧ୍ୟରେ ସିଜରିଆନ୍ ପ୍ରସବ ହାର ତେଲେଙ୍ଗାନାରେ ସର୍ବାଧିକ ରହିଛି । ୨୦୨୦ରୁ ୨୦୨୧ରେ ୫୫.୩୩ ପ୍ରତିଶତ ପ୍ରସବ ଅସ୍ତ୍ରୋପଚାର ମାଧ୍ୟମରେ ହୋଇଥିବାବେଳେ ୨୦୨୧-୨୦୨୨ରେ ଏହା ୫୪.୦୧ ପ୍ରତିଶତକୁ ବୃଦ୍ଧି ପାଉଛି । ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଘରୋଇ ହସ୍ପିଟାଲରେ ୧ଲକ୍ଷ ୨୯ ହଜାର ୮୮ ପ୍ରସବ ହୋଇଥିବାବେଳେ ସେଥିରୁ ୯୯ ହଜାର ୯୯୮ଟି ପ୍ରସବ ଅସ୍ତ୍ରୋପଚାର ଦ୍ୱାରା କରାଯାଇଥିଲା । ୨୦୨୩-୨୪ମସିହାରେ ଘରୋଇ ହସ୍ପିଟାଲରେ ୧ଲକ୍ଷ ୪୦ ହଜାର ୧୨୬ ପ୍ରସବ ହୋଇଥିବାବେଳେ ସେଥିରୁ ୧ଲକ୍ଷ ୧୩ ହଜାର ୫୯୮ଟି ହୋଇଥିଲା ଅସ୍ତ୍ରୋପଚାର ଦ୍ୱାରା ଏବଂ ଏହା ଘରୋଇ ହସ୍ପିଟାଲରେ ହୋଇଥିବା ସମୁଦାୟ ପ୍ରସବର ୮୧.୦୬% । ସରକାରୀ ହସ୍ପିଟାଲର ଜନ୍ମ ତଥ୍ୟ ଅନୁସାରେ ୨୦୨୨-୨୩ରେ ହୋଇଥିବା ୬ଲକ୍ଷ ୭୪୦ ପ୍ରସବ ମଧ୍ୟରୁ ୫ଲକ୍ଷ ୮୩ ହଜାର ୪୪୩ଟି ଅସ୍ତ୍ରୋପଚାର ଦ୍ୱାରା କରାଯାଇଥିଲା, ଯାହାକି ୩୦.୫୩% । ୨୦୨୩-୨୪ରେ ୫ଲକ୍ଷ ୧୧ ହଜାର ୧୮୫ ପ୍ରସବ ହୋଇଥିବାବେଳେ ସେଥିରୁ ୩୩.୦୮% ଅର୍ଥାତ୍ ୧ ଲକ୍ଷ ୯୫ ହଜାର ୫୭୮ ପ୍ରସବ ଅସ୍ତ୍ରୋପଚାର ଦ୍ୱାରା ହୋଇଥିଲା । ଦିନଥିଲା ଲୋକେ ସ୍ୱାଭାବିକ ପ୍ରସବ ପସନ୍ଦ କରୁଥିଲେ । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ମହିଳା ଶିଶୁ କଲ୍ୟାଣ ବିଭାଗ ଏ ଦିଗଟିକୁ ଅତ୍ୟନ୍ତ ଗୁରୁତ୍ୱ ବିଚାର କରି ସରକାରୀ ଭାବେ ଗର୍ଭବତୀ ମାଆଙ୍କୁ ପ୍ରାଥମିକ ଅବସ୍ଥାରୁ ସେମାନଙ୍କ ପାଖରେ ଡାକ୍ତରୀ ପରାମର୍ଶ, ଉତ୍ତମ ସୁଷମ ଖାଦ୍ୟ ଓ ଆନୁଷଙ୍ଗିକ ସହାୟତା ଯୋଗାଇ ଦିଆଯାଉଛି । ସରକାରୀ ବ୍ୟବସ୍ଥାରେ ନିକଟସ୍ଥ ଯେକୌଣସି ଡାକ୍ତରଖାନାରେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚିକିତ୍ସା ପ୍ରଦାନ କରାଯାଉଛି । ସେମାନଙ୍କର ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା, ଔଷଧପତ୍ର, ଡାକ୍ତରୀ ପରାମର୍ଶ ଓ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଯାଉଛି ଯାହାଦ୍ୱାରା ନିରାପଦ ମାତୃତ୍ୱ ଏକ ବଡ଼ ସୁନିଶ୍ଚିତ ହୋଇପାରୁଛି । ସରକାରୀ ବ୍ୟବସ୍ଥାରେ ରାଜ୍ୟରେ ଅଗମ୍ୟ, ଉପାନ୍ତ ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଭ୍ରାମ୍ୟମାଣ ଚିକିତ୍ସା ପ୍ରଦାନ କରାଯାଉଛି । ଗର୍ଭବତୀ ମାନଙ୍କ ପାଖରେ ଡାକ୍ତରୀଦଳ ଓ ପରୀକ୍ଷା ନିରୀକ୍ଷା ଟିମ୍ ଉପଲବ୍ଧ କରାଯାଉଛି । ତେବେ ଏତେ ସବୁ ଭିତରେ ମଧ୍ୟ କେତେକ ସ୍ଥାନରେ ନିରାପଦ ମାତୃତ୍ୱ ଅପହୃତ ହୋଇଯାଉଛି ତ କେଉଁଠି ଗର୍ଭବତୀଙ୍କ ନିକଟ ସମ୍ପର୍କୀୟ ମାନଙ୍କ ସଠିକ ତଥ୍ୟ ଅଭାବରୁ ପରିସ୍ଥିତି ଜଟିଳ ହୋଇଯାଉଛି । କେନ୍ଦ୍ର ସରକାର ମଧ୍ୟ କେତେକ କ୍ଷେତ୍ରରେ ନିରାପଦ ମାତୃତ୍ୱକୁ ସୁନିଶ୍ଚିତ ସୁରକ୍ଷିତ କ୍ଷେତ୍ର ଭାବେ ଅଗ୍ରାଧିକାର ଦେଇ ବିଭିନ୍ନ ବେସରକାରୀ ସ୍ୱେଚ୍ଛସେବୀ ସଙ୍ଗଠନ ମାଧ୍ୟମରେ ଅନେକ ସହାୟତା ପ୍ରଦାନ କରୁଛନ୍ତି । ଆଜି ଜାତୀୟ ନିରାପଦ ମାତୃତ୍ୱ ଦିବସ ଅବସରରେ କେବଳ ଦାୟିତ୍ୱ ସରକାର ବା ଗର୍ଭବତୀଙ୍କ ଉପରେ ଛାଡ଼ିଦେଲେ ଚଳିବ ନାହିଁ । ଆମ୍ଭ ମାନଙ୍କ ଭିତରେ ସଚେତନତା ଏ କ୍ଷେତ୍ରରେ ଅତ୍ୟନ୍ତ ଜରୁରି । ଜଣେ ନିଜର କେହି ନ ହେଲେ ବି ପଡ଼ୋଶୀଟିଏ ହେଉ ବା ଅପରିଚିତ ସେମାନଙ୍କୁ ସରକାରୀ ବ୍ୟବସ୍ଥାର ସମସ୍ତ ସୁବିଧା ସୁଯୋଗ ଓ ସ୍ୱାସ୍ଥ୍ୟଜନିତ ସଚେତନତା ସେମାନଙ୍କ ପାଖରେ ପହଞ୍ଚôବାର ଗୁରୁଦାୟିତ୍ୱ ନିର୍ବାହ କଲେ ନିଜକୁ ଜଣେ ସମାଜର ଯଥାର୍ଥ ଜାଗ୍ରତ ପ୍ରହାରୀ ଓ ଉପଯୁକ୍ତ ନାଗରିକ ଭାବେ ଦାୟିତ୍ୱ ନିର୍ବାହ କରିପାରିବା । ଆସନ୍ତୁ ଆଜିପରି ଏକ ସ୍ମରଣୀୟ ଦିନରେ ଏହି ଦାୟିତ୍ୱର ସହଭାଗିତାରେ ସମସ୍ତଙ୍କୁ ସାମିଲ କରି ଏକ ସୁନ୍ଦର ଓ ଉତ୍ତମ ଶିଶୁ ଯେ କି ଆଗାମୀ ଭବିଷ୍ୟତର ପ୍ରତୀକ ଏହାକୁ ବିବେଚନା କରି ଏହି ଦିବସର ଅନ୍ତର୍ନିହିତ ତାତ୍ପର୍ଯ୍ୟକୁ ବଜାୟ ରଖିପାରିବା ।
ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ, କଟକ